4ଆମ୍ଭେ ମିସରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିପରି ଉତ୍କ୍ରୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ।
5ଏବେ ତୁମ୍ଭେମାନେ ଯଦି ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର।
6ପୁଣି, ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ; ଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ।”
7ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ୱାରା ଆଦେଶପ୍ରାପ୍ତ ଏହିସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ।
8ତହିଁରେ ସମସ୍ତ ଲୋକ ଏକସଙ୍ଗରେ ଅଙ୍ଗୀକାର କରି କହିଲେ, “ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା।” ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ।