4ଅର୍ଥାତ୍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।
5ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ।
6ପୁଣି, ସେମାନେ ସେହି ସ୍ୱର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କରିବେ।
7ତହିଁର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ।
8ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ।