9ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।
10ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।”
11ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ନିବେଦନ କରି କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଅଛ, ସେମାନଙ୍କ ପ୍ରତିକୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ୱଳିତ ହେବ?
12‘ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ,’ ଏପରି କଥା ମିସରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।
13ଆପଣା ଦାସ ଅବ୍ରହାମ ଓ ଇସ୍ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ‘ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।’”