4ଅପାର ଜଳ ତାହାକୁ ପୁଷ୍ଟ କଲା, ଜଳଧି ତାହାକୁ ବର୍ଦ୍ଧିତ କଲା; ତାହାର ସ୍ରୋତସମୂହ ତାହାର ରୋପଣ ସ୍ଥାନର ଚତୁର୍ଦ୍ଦିଗରେ ବହିଲା ଓ ସେ କ୍ଷେତ୍ରସ୍ଥ ବୃକ୍ଷସକଳର ନିକଟକୁ ଆପଣା ଜଳପ୍ରଣାଳୀ ପଠାଇଲା।
5ଏସକାଶୁ କ୍ଷେତ୍ରସ୍ଥ ବୃକ୍ଷସକଳ ଅପେକ୍ଷା ସେ ଉଚ୍ଚୀକୃତ ହେଲା ଓ ତାହାର ଡାଳସବୁ ବହୁସଂଖ୍ୟକ ହେଲା; ଆଉ ସେ ଆପଣା ଶାଖା ମେଲିବା ବେଳେ ଅପାର ଜଳ ହେତୁ ସେହି ସବୁ ଦୀର୍ଘ ହେଲା।
6ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।
7ଏହି ପ୍ରକାରେ ସେ ଆପଣା ମହତ୍ତ୍ୱରେ, ତାହାର ଶାଖାସକଳର ଦୀର୍ଘତାରେ ମନୋହର ହେଲା; କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
8ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ତାହାକୁ ଲୁଚାଇ ପାରିଲେ ନାହିଁ; ଦେବଦାରୁ ବୃକ୍ଷସବୁ ତାହାର ଡାଳ ପରି ଓ ଅର୍ମୋନ୍ ବୃକ୍ଷସବୁ ତାହାର ଶାଖା ପରି ନ ଥିଲେ, ଅଥବା ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହା ପରି ନ ଥିଲା।