23ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି।
24ସେହି ସ୍ଥାନରେ ଏଲମ୍ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକସମୂହ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି।
25ହତ ଲୋକମାନଙ୍କ ମଧ୍ୟରେ ସେମାନେ ତାହାର ଓ ତାହା ସହିତ ତାହାର ସମସ୍ତ ଜନସମାଜର ଶଯ୍ୟା ପାତିଅଛନ୍ତି, ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି; କାରଣ ସେମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ, ଏବେ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରିଅଛନ୍ତି; ସେ ହତ ଲୋକମାନଙ୍କ ମଧ୍ୟରେ ରଖାଯାଇଅଛି।
26ସେହି ସ୍ଥାନରେ ମେଶକ୍, ତୁବଲ୍ ଓ ତାହାର ସମସ୍ତ ଜନସମାଜ ଅଛନ୍ତି; ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହେଲେ; କାରଣ ସେମାନେ ଜୀବିତ ଲୋକମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ।
27ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି ଓ ଆପଣା ଆପଣା ଖଡ୍ଗ ଆପଣା ଆପଣା ମସ୍ତକର ତଳେ ରଖିଅଛନ୍ତି ଓ ସେମାନଙ୍କ ଅଧର୍ମ ସେମାନଙ୍କ ଅସ୍ଥି ଉପରେ ଅଛି, ସେମାନଙ୍କ ସହିତ ଏମାନେ ଶୟନ କରିବେ ନାହିଁ; କାରଣ ସେମାନେ ଜୀବିତମାନଙ୍କ ଦେଶରେ ବୀରଗଣର ପ୍ରତି ଭୟର ବିଷୟ ହୋଇଥିଲେ।