15ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ।
16ଯଜ୍ଞବେଦିର ଅଗ୍ନିସ୍ଥାନ ବାର ହାତ ଦୀର୍ଘ ଓ ବାର ହାତ ପ୍ରସ୍ଥ; ତହିଁର ଚାରି ଦିଗ ସମାନ ହେବ।
17ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ।”
18ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ସିଞ୍ଚନ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ବନ୍ଧୀୟ ବିଧି ଏହି।
19ପ୍ରଭୁ, ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ।