9ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଯେସକଳ ବିଦେଶୀୟ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ କୌଣସି ବିଦେଶୀୟ ଲୋକ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।
10ମାତ୍ର ଇସ୍ରାଏଲ ବିପଥଗମନ କରିବା ସମୟରେ ଯେଉଁ ଲେବୀୟମାନେ ଆମ୍ଭଠାରୁ ଦୂରକୁ ଯାଇଥିଲେ, ଆପଣା ଆପଣା ଦେବଗଣର ପଶ୍ଚାଦ୍ଗାମୀ ହୋଇ ଆମ୍ଭଠାରୁ ବିପଥରେ ଗମନ କରିଥିଲେ, ସେମାନେ ଆପଣା ଆପଣା ଅଧର୍ମ ବହନ କରିବେ।
11ତଥାପି ସେମାନେ ଗୃହର ଦ୍ୱାରସକଳର ଦ୍ୱାରୀ ହୋଇ ଓ ଗୃହରେ ପରିଚର୍ଯ୍ୟା କରି ଆମ୍ଭ ପବିତ୍ର ସ୍ଥାନର ପରିଚାରକ ହେବେ; ସେମାନେ ଲୋକମାନଙ୍କ ନିମନ୍ତେ ହୋମବଳି ଓ ପ୍ରାୟଶ୍ଚିତ୍ତାର୍ଥକ ବଳି ବଧ କରିବେ ଓ ଲୋକମାନଙ୍କର ପରିଚର୍ଯ୍ୟା କରିବା ନିମନ୍ତେ ସେମାନଙ୍କ ସମ୍ମୁଖରେ ଠିଆ ହେବେ।
12କାରଣ ପ୍ରତିମାଗଣର ସାକ୍ଷାତରେ ସେମାନେ ଲୋକମାନଙ୍କର ପରିଚର୍ଯ୍ୟା କଲେ ଓ ଇସ୍ରାଏଲ ବଂଶର ଅଧର୍ମଜନକ ବିଘ୍ନ ସ୍ୱରୂପ ହେଲେ। ଏଥିପାଇଁ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଉଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ଓ ସେମାନେ ଆପଣାମାନଙ୍କର ଅଧର୍ମ ବହନ କରିବେ।
13ପୁଣି, ସେମାନେ ଆମ୍ଭ ଯାଜକର କର୍ମ ସାଧନ କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ନାହିଁ ଅଥବା ସେମାନେ ଆମ୍ଭର ପବିତ୍ର ଦ୍ରବ୍ୟସକଳର ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ, ଅତି ପବିତ୍ର ଦ୍ରବ୍ୟସକଳ ନିକଟକୁ ଆସିବେ ନାହିଁ; ମାତ୍ର ସେମାନେ ଆପଣାମାନଙ୍କର ଅପମାନ ଓ ଆପଣାମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିବେ।