6ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରି ନାହାନ୍ତି!
7ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ
8ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା।
9ପୁଣି, ଯାହା ଆମ୍ଭେ କରି ନାହୁଁ ଓ ଯହିଁର ତୁଲ୍ୟ ଆଉ ଆମ୍ଭେ କରିବା ନାହିଁ, ଏପରି କର୍ମ, ତୁମ୍ଭମାନଙ୍କର ଘୃଣାଯୋଗ୍ୟ ସକଳ କ୍ରିୟା ସକାଶୁ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ କରିବା।
10ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା।