10ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ।
11ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।
13ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏହି ବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ।
14ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”