3ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି, ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା ଓ ତୁମ୍ଭ ପିତା ଅବ୍ରହାମ ନିକଟରେ ଆପଣା କୃତ ଶପଥର ନିୟମ ସଫଳ କରିବା।
4ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭର ବଂଶ ଦ୍ୱାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।
5ଯେହେତୁ ଅବ୍ରହାମ ଆମ୍ଭର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି।”
6ତହିଁରେ ଇସ୍ହାକ ଗରାରଠାରେ ବାସ କଲେ।
7ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ କହିଲେ, “ସେ ମୋହର ଭଗିନୀ,” ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବା ବଧ କରିବେ, ଏହା ଭାବି ସେ ତାହାକୁ ଆପଣାର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ; ଯେହେତୁ ସେ ପରମସୁନ୍ଦରୀ ଥିଲା।