29ତହୁଁ ଯାକୁବ ତାହାଙ୍କୁ କହିଲା, “ମୁଁ ତୁମ୍ଭର ଯେଉଁ ପ୍ରକାର ଦାସ୍ୟକର୍ମ କରିଅଛି ଓ ମୋʼ ନିକଟରେ ତୁମ୍ଭର ପଶୁଗଣ ଯେପରି ଅଛନ୍ତି, ତାହା ତୁମ୍ଭକୁ ଜଣାଅଛି।
30କାରଣ, ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି, ମୁଁ ଯେକୌଣସି ଜାଗାକୁ ତୁମ୍ଭର ମେଷପଲକୁ ଚରାଇବାକୁ ନେଲି ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି?”
31ତହିଁରେ ଲାବନ କହିଲା, “ମୁଁ ତୁମ୍ଭକୁ କଅଣ ଦେବି?” ଯାକୁବ କହିଲା, “ତୁମ୍ଭକୁ କିଛି ଦେବାକୁ ପଡ଼ିବ ନାହିଁ; ଯଦି ତୁମ୍ଭେ ମୋʼ ପାଇଁ ଗୋଟିଏ କର୍ମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି।
32ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କଳାବର୍ଣ୍ଣର ମେଷମାନଙ୍କୁ, ପୁଣି, ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି; ସେହି ସବୁ ମୋହର ବେତନ ସ୍ୱରୂପ ହେବ।
33ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।”