25ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
26ପୁଣି, ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ।
27ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକୁ ସେହି ଲୋକମାନେ ଭ୍ରଷ୍ଟା କରିଥିଲେ।
28ପୁଣି, ସେମାନଙ୍କ ମେଷ ଓ ଗୋରୁ ଓ ଗଧସବୁ, ଆଉ ନଗରସ୍ଥ ଓ କ୍ଷେତ୍ରସ୍ଥ ସମସ୍ତ ଦ୍ରବ୍ୟ ହରଣ କଲେ।
29ଆଉ ସେମାନଙ୍କ ଶିଶୁ ଓ ଭାର୍ଯ୍ୟାମାନଙ୍କୁ ବନ୍ଦୀ କରି ସମସ୍ତ ଧନ ଓ ଗୃହର ସର୍ବସ୍ୱ ଲୁଟ କଲେ।