1ଏହି ମଲ୍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ। ସେ ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ;
2ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ପ୍ରଥମ ଅର୍ଥ ଧର୍ମରାଜା, ଦ୍ୱିତୀୟ, ଶାଲେମର ରାଜା, ଅର୍ଥାତ୍, ଶାନ୍ତିରାଜା।
3ଏହାଙ୍କର ପିତା କି ମାତା କି ବଂଶାବଳୀର କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ବରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି।
4ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ।