1ମିସର ବିଷୟକ ଭବିଷ୍ୟତବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।
2ପୁଣି, ଆମ୍ଭେ ମିସରୀୟମାନଙ୍କୁ ମିସରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।
3ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।
4ଆଉ, ଆମ୍ଭେ ମିସରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
5ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ।