8ହେ ସଦାପ୍ରଭୋ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗରେ ତୁମ୍ଭ ଅପେକ୍ଷାରେ ରହିଅଛୁ; ତୁମ୍ଭର ନାମ ଓ ତୁମ୍ଭର ସ୍ମରଣ ଚିହ୍ନ ପ୍ରତି ଆମ୍ଭମାନଙ୍କର ପ୍ରାଣର ଆକାଂକ୍ଷା ଅଛି।
9ରାତ୍ରିକାଳରେ ମୁଁ ଆପଣା ପ୍ରାଣ ସହିତ ତୁମ୍ଭର ଆକାଂକ୍ଷା କରିଅଛି; ହଁ, ମୁଁ ଆପଣା ଅନ୍ତରସ୍ଥ ଆତ୍ମା ସହିତ ଶୀଘ୍ର ତୁମ୍ଭର ଅନ୍ୱେଷଣ କରିବି; କାରଣ ପୃଥିବୀରେ ତୁମ୍ଭର ଶାସନସକଳ ପ୍ରକାଶିତ ହେଲେ ଜଗନ୍ନିବାସୀମାନେ ଧର୍ମ ଶିକ୍ଷା କରନ୍ତି।
10ଦୁଷ୍ଟ ଲୋକ ପ୍ରତି ଦୟା ପ୍ରକାଶ କରାଗଲେ ହେଁ ସେ ଧର୍ମ ଶିଖିବ ନାହିଁ; ସରଳତାର ଦେଶରେ ସେ ଅନ୍ୟାୟ କରିବ ଓ ସଦାପ୍ରଭୁଙ୍କର ମହିମାକୁ ଅନାଇବ ନାହିଁ।
11ହେ ସଦାପ୍ରଭୋ, ତୁମ୍ଭର ହସ୍ତ ଉତ୍ଥିତ ହୋଇଅଛି, ତଥାପି ସେମାନେ ଦେଖନ୍ତି ନାହିଁ, ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଉଦ୍ଯୋଗ ଦେଖି ସେମାନେ ଲଜ୍ଜିତ ହେବେ; ହଁ, ଅଗ୍ନି ତୁମ୍ଭ ବିପକ୍ଷଗଣକୁ ଗ୍ରାସ କରିବ।
12ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଶାନ୍ତି ନିରୂପଣ କରିବ; କାରଣ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କର ସକଳ କାର୍ଯ୍ୟ ସାଧନ କରିଅଛ।