19ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।
20କାରଣ ଭୟଙ୍କର ଲୋକ ଅକିଞ୍ଚନା ହୋଇଅଛି, ନିନ୍ଦକ ନିବୃତ୍ତ ହେଉଅଛି ଓ ଯେଉଁମାନେ ଅଧର୍ମ ପାଇଁ ଜଗି ରହନ୍ତି, ସେସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି;
21ସେମାନେ କଥାରେ ମନୁଷ୍ୟକୁ ଦୋଷୀ କରନ୍ତି ଓ ନଗର-ଦ୍ୱାରରେ ଦୋଷବକ୍ତା ନିମନ୍ତେ ଫାନ୍ଦ ପାତନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।
22ଏହେତୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି; “ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କିଅବା ତାହାର ମୁଖ ମଳିନ ହେବ ନାହିଁ।
23ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ; ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ।