5ମାତ୍ର ତୁମ୍ଭ ଶତ୍ରୁଗଣର ଲୋକସମୂହ ସୂକ୍ଷ୍ମ ଧୂଳିର ନ୍ୟାୟ ହେବ ଓ ଭୟଙ୍କରମାନଙ୍କର ଲୋକସମୂହ ଉଡ଼ିଯିବା ତୁଷ ପରି ହେବ; ଏକ ନିମିଷରେ ହଠାତ୍ ଏହା ଘଟିବ।
6ସୈନ୍ୟାଧିପତି ସଦାପ୍ରଭୁ ମେଘ ଗର୍ଜ୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।
7ପୁଣି, ସର୍ବଗୋଷ୍ଠୀୟ ଯେଉଁ ଲୋକସମୂହ ଅରୀୟେଲ ବିରୁଦ୍ଧରେ ଯୁଦ୍ଧ କରନ୍ତି, ଅର୍ଥାତ୍, ଯେଉଁମାନେ ତାହାର ଓ ତାହାର ଦୃଢ଼ ଦୁର୍ଗ ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ସଙ୍କଟାପନ୍ନ କରନ୍ତି, ସେସମସ୍ତେ ସ୍ୱପ୍ନ ତୁଲ୍ୟ, ରାତ୍ରିକାଳୀନ ଦର୍ଶନ ତୁଲ୍ୟ ହେବେ।
8ଆଉ, ଯେପରି କ୍ଷୁଧିତ ଲୋକ ସ୍ୱପ୍ନରେ ଭୋଜନ କରୁଅଛି ବୋଲି ଦେଖେ, ମାତ୍ର ଜାଗ୍ରତ ହେଲେ, ତାହାର ପ୍ରାଣ ଶୂନ୍ୟ ଥାଏ; ଅବା ଯେପରି ତୃଷିତ ଲୋକ ଜଳ ପାନ କରୁଅଛି ବୋଲି ସ୍ୱପ୍ନରେ ଦେଖେ, ମାତ୍ର ଜାଗ୍ରତ ହେଲେ ଦେଖ, ସେ ଦୁର୍ବଳ ଥାଏ ଓ ତାହାର ପ୍ରାଣ ତୃଷିତ ଥାଏ, ସିୟୋନ ପର୍ବତର ପ୍ରତିକୂଳରେ ଯୁଦ୍ଧକାରୀ ସର୍ବଗୋଷ୍ଠୀୟ ଲୋକସମୂହ ସେହିପରି ହେବେ।
9ତୁମ୍ଭେମାନେ ସ୍ଥଗିତ ଓ ଚମତ୍କୃତ ହୁଅ; ଆମୋଦ କରି ଅନ୍ଧ ହୁଅ; ସେମାନେ ମତ୍ତ ଅଛନ୍ତି, ମାତ୍ର ଦ୍ରାକ୍ଷାରସରେ ନୁହେଁ; ସେମାନେ ଟଳଟଳ ହୁଅନ୍ତି, ମାତ୍ର ସୁରାପାନରେ ନୁହେଁ।