14ପୁଣି, ଯେପରି କୁମ୍ଭକାରର ପାତ୍ର ଭଙ୍ଗାଯାଏ, ସେହିପରି ସେ କିଛି ଦୟା ନ କରି ତାହା ଚୂର୍ଣ୍ଣ କରି ଭାଙ୍ଗି ପକାଇବେ; ତହିଁରେ ଚୁଲ୍ଲୀରୁ ଅଗ୍ନି କିଅବା କୁଣ୍ଡରୁ ଜଳ ନେବା ଭଳି ଖଣ୍ଡେ ଖପରା ହିଁ ତହିଁରୁ ମିଳିବ ନାହିଁ।”
15କାରଣ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କହିଲେ, “ଫେରିଲେ ଓ ଶାନ୍ତ ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ; ସୁସ୍ଥିରତା ଓ ବିଶ୍ୱାସରେ ତୁମ୍ଭମାନଙ୍କର ବଳ ହେବ, ପୁଣି, ତୁମ୍ଭେମାନେ ଅସମ୍ମତ ହେଲ।”
16ମାତ୍ର ତୁମ୍ଭେମାନେ କହିଲ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ;” ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, “ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା;” ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ।
17ଏକ ଜଣର ଧମକରେ ସହସ୍ର ଲୋକ ପଳାୟନ କରିବେ; ପାଞ୍ଚ ଜଣର ଧମକରେ ତୁମ୍ଭେମାନେ ପଳାୟନ କରିବ; ତହିଁରେ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡ ସ୍ୱରୂପ ହୋଇ ଅବଶିଷ୍ଟ ରହିବ।
18ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।