17ଏକ ଜଣର ଧମକରେ ସହସ୍ର ଲୋକ ପଳାୟନ କରିବେ; ପାଞ୍ଚ ଜଣର ଧମକରେ ତୁମ୍ଭେମାନେ ପଳାୟନ କରିବ; ତହିଁରେ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡ ସ୍ୱରୂପ ହୋଇ ଅବଶିଷ୍ଟ ରହିବ।
18ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।
19ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବାମାତ୍ରେ ତୁମ୍ଭକୁ ଉତ୍ତର ଦେବେ।
20ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଲେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ।
21ପୁଣି, ଦକ୍ଷିଣରେ କିମ୍ବା ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, “ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର।”