4କାରଣ ସଦାପ୍ରଭୁ ଆମ୍ଭକୁ ଏହି କଥା କହନ୍ତି, “ଯେପରି ସିଂହ ଓ ଯୁବା ସିଂହ ଆପଣା ଶିକାର ଉପରେ ଗର୍ଜ୍ଜନ କରେ, ଅନେକ ଅନେକ ମେଷପାଳକ ତାହା ବିରୁଦ୍ଧରେ ଡକାଗଲେ ହେଁ ସେ ସେମାନଙ୍କ ରବରେ ଉଦ୍ବିଗ୍ନ ହୁଏ ନାହିଁ, କିଅବା ସେମାନଙ୍କ କୋଳାହଳରେ ଆପଣାକୁ ଅବନତ କରେ ନାହିଁ, ସେହିପରି ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ ଓ ତହିଁର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ।
5ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ରକ୍ଷା କରନ୍ତି, ସେହିପରି ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମକୁ ରକ୍ଷା କରିବେ; ସେ ତାହାକୁ ରକ୍ଷା କରି ଉଦ୍ଧାର କରିବେ, ସେ ତାହାକୁ ନିସ୍ତାର କରି ରକ୍ଷା କରିବେ।”
6ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଅତିଶୟ ଦ୍ରୋହାଚରଣ କରି ଯାହାଙ୍କଠାରୁ ବିମୁଖ ହୋଇଅଛ, ତାହାଙ୍କ ନିକଟକୁ ଫେରି ଆସ।
7କାରଣ ସେହି ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ହସ୍ତନିର୍ମିତ ରୌପ୍ୟପ୍ରତିମା ଓ ସ୍ୱର୍ଣ୍ଣ-ପ୍ରତିମାରୂପ ପାପବସ୍ତୁ ପକାଇ ଦେବ।
8“ସେହି ସମୟରେ ଅଶୂରୀୟ ଖଡ୍ଗରେ ପତିତ ହେବ, ମାତ୍ର ମନୁଷ୍ୟର ଖଡ୍ଗରେ ନୁହେଁ; ପୁଣି ଖଡ୍ଗ ତାହାକୁ ଗ୍ରାସ କରିବ, ମାତ୍ର ମନୁଷ୍ୟର ଖଡ୍ଗ ନୁହେଁ; ଆଉ, ସେ ଖଡ୍ଗ ସମ୍ମୁଖରୁ ପଳାଇବ ଓ ତାହାର ଯୁବକମାନେ ପରାଧୀନ ହେବେ।