10ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ।
11ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ।
12ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।”
13“ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ?”
14ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା।