14ସଦାପ୍ରଭୁ ଏହି କଥା କହନ୍ତି, “ମିସରର ପରିଶ୍ରମର, କୂଶର ବାଣିଜ୍ୟର ଫଳ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ; ସେମାନେ ତୁମ୍ଭର ପଶ୍ଚାଦ୍ଗାମୀ ହେବେ; ଶୃଙ୍ଖଳରେ ଆବଦ୍ଧ ହୋଇ ସେମାନେ ଆସିବେ; ପୁଣି, ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ନିଶ୍ଚୟ ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି; ତାହାଙ୍କ ବିନୁ ଆଉ କେହି ନାହିଁ, ଆଉ କେହି ପରମେଶ୍ୱର ନାହାନ୍ତି।’”
15ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଆତ୍ମଗୋପନକାରୀ ପରମେଶ୍ୱର ଅଟ।
16ସେମାନେ ଲଜ୍ଜିତ ହେବେ, ହଁ, ସେମାନେ ସମସ୍ତେ ବିବ୍ରତ ହେବେ; ପ୍ରତିମା ନିର୍ମାଣକାରୀ ସମସ୍ତେ ଏକାସଙ୍ଗେ ଅପମାନଗ୍ରସ୍ତ ହେବେ।
17ମାତ୍ର ଇସ୍ରାଏଲ, ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପ୍ରାପ୍ତ ହେବ; ତୁମ୍ଭେମାନେ ଯୁଗଯୁଗାନ୍ତ ପର୍ଯ୍ୟନ୍ତ ଲଜ୍ଜିତ କିଅବା ବିବ୍ରତ ହେବ ନାହିଁ।
18କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; “ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।