17ମାତ୍ର ଇସ୍ରାଏଲ, ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପ୍ରାପ୍ତ ହେବ; ତୁମ୍ଭେମାନେ ଯୁଗଯୁଗାନ୍ତ ପର୍ଯ୍ୟନ୍ତ ଲଜ୍ଜିତ କିଅବା ବିବ୍ରତ ହେବ ନାହିଁ।
18କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; “ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
19ଆମ୍ଭେ ଗୋପନରେ ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ; ‘ତୁମ୍ଭେମାନେ ବୃଥାରେ ଆମ୍ଭର ଅନ୍ୱେଷଣ କର,’ ଏହା ଆମ୍ଭେ ଯାକୁବ ବଂଶକୁ କହି ନାହୁଁ, ଆମ୍ଭେ ସଦାପ୍ରଭୁ ଧର୍ମବାଦୀ, ଆମ୍ଭେ ସଠିକ୍ କଥା ପ୍ରକାଶ କରୁ।
20ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।
21ତୁମ୍ଭେମାନେ ପ୍ରକାଶ କର ଓ ତାହା ଉପସ୍ଥିତ କର; ହଁ, ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ; ପୂର୍ବକାଳରୁ କିଏ ଏହା ଜଣାଇଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କି ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ, ଆମ୍ଭେ ଧର୍ମଶୀଳ ପରମେଶ୍ୱର ଓ ତ୍ରାଣକର୍ତ୍ତା; ଆମ୍ଭ ଛଡ଼ା ଆଉ କେହି ନାହିଁ।