6ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
7ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”
8ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା;
9ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
10ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।