25ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି, ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏହିସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
26ପୁଣି, ସେ ଦୂରଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍ ଦେବେ, ପୁଣି, ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ;
27ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁ କି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ;
28ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ୱଗଣର ଖୁରା ଚକ୍ମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରି;
29ସେମାନଙ୍କର ଗର୍ଜ୍ଜନ ସିଂହୀର ଗର୍ଜ୍ଜନ ପରି, ସେମାନେ ଯୁବା ସିଂହ ପରି ଗର୍ଜ୍ଜନ କରିବେ; ଆହୁରି, ସେମାନେ ଗର୍ଜ୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ।