5ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ;
6ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।
7ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।
8ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!
9ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି, “ନିଶ୍ଚୟ ଅନେକ ଗୃହ ଧ୍ୱଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ।