4ଭୟ କର ନାହିଁ; କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ। କିଅବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ; ତୁମ୍ଭେ ଆପଣା ଯୌବନ କାଳର ଲଜ୍ଜା ପାସୋରି ଯିବ ଓ ତୁମ୍ଭେ ଆପଣା ବିଧବାବସ୍ଥାର ଦୁର୍ନାମ ଆଉ ସ୍ମରଣ କରିବ ନାହିଁ।
5କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।
6କାରଣ ତୁମ୍ଭ ପରମେଶ୍ୱର କହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।
7ଆମ୍ଭେ ଅଳ୍ପକ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା।
8ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି।