6ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ; ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ; ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଦର୍ପ କରିବ।
7ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ।
8କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା।
9ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।
10ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋʼ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି।