6ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ, ପୁଣି ଭୂମିରେ ସେମାନଙ୍କ ପ୍ରାଣରକ୍ତ ଢାଳି ପକାଇଲୁ।”
7ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା।
8କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।
9ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।
10ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ; ଏନିମନ୍ତେ ସେ ଫେରି ସେମାନଙ୍କର ଶତ୍ରୁ ହେଲେ ଓ ଆପେ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।