11ସେମାନେ ତାହା ଧ୍ୱଂସସ୍ଥାନ କରିଅଛନ୍ତି; ତାହା ଧ୍ୱଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି; କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ୱଂସିତ ହେଉଅଛି।
12ଧ୍ୱଂସକାରୀମାନେ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରିସକଳର ଉପରକୁ ଆସିଅଛନ୍ତି; କାରଣ ସଦାପ୍ରଭୁଙ୍କ ଖଡ୍ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି; କୌଣସି ପ୍ରାଣୀର ଶାନ୍ତି ନାହିଁ।
13ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି, ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ; ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ସକାଶୁ ତୁମ୍ଭେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବ।”
14ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ଯେଉଁ ଅଧିକାର ଭୋଗ କରିବାକୁ ଦେଇଅଛୁ, ତାହା ସ୍ପର୍ଶକାରୀ ଆମ୍ଭର ଦୁଷ୍ଟ ପ୍ରତିବାସୀସକଳର ବିରୁଦ୍ଧରେ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କରିବା ଓ ସେମାନଙ୍କ ମଧ୍ୟରୁ ଯିହୁଦା-ବଂଶକୁ ଉତ୍ପାଟନ କରିବା।
15ପୁଣି, ସେମାନଙ୍କୁ ଉତ୍ପାଟନ କଲା ଉତ୍ତାରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା ଓ ଆମ୍ଭେ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଭୂମିକୁ ପୁନର୍ବାର ଆଣିବା।