16ମୁଁ ତ ତୁମ୍ଭ ପଛେ ପଛେ ମେଷପାଳକର କାର୍ଯ୍ୟ କରିବାରୁ ବିମୁଖ ହେବା ପାଇଁ ବେଗଗାମୀ ହୋଇ ନାହିଁ; କିଅବା ସେହି ଅମଙ୍ଗଳର ଦିନ ଚାହିଁ ନାହିଁ; ତୁମ୍ଭେ ଜାଣୁଅଛ; ମୋʼ ଓଷ୍ଠରୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।
17ମୋʼ ପ୍ରତି ତ୍ରାସଜନକ ହୁଅ ନାହିଁ; ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ।
18ଯେଉଁମାନେ ମୋତେ ତାଡ଼ନା କରନ୍ତି, ସେମାନେ ଲଜ୍ଜିତ ହେଉନ୍ତୁ, ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ସେମାନେ ନିରାଶ ହେଉନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ; ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।
19ସଦାପ୍ରଭୁ ମୋତେ ଏହି କଥା କହିଲେ, “ଯିହୁଦାର ରାଜାଗଣ ଯେଉଁ ଦ୍ୱାର ଦେଇ ଭିତରେ ଯାଆନ୍ତି ଓ ବାହାରେ ଆସନ୍ତି, ଲୋକମାନଙ୍କ ସନ୍ତାନଗଣର ସେହି ଦ୍ୱାରରେ ଓ ଯିରୂଶାଲମର ସକଳ ଦ୍ୱାରରେ ଯାଇ ଠିଆ ହୁଅ;
20ଆଉ, ସେମାନଙ୍କୁ କୁହ, ‘ହେ ଯିହୁଦାର ରାଜାଗଣ, ହେ ସମୁଦାୟ ଯିହୁଦା ଓ ହେ ଯିରୂଶାଲମର ନିବାସୀ ସମସ୍ତେ, ତୁମ୍ଭେମାନେ ଯେତେ ଲୋକ ଏହିସବୁ ଦ୍ୱାର ଦେଇ ପ୍ରବେଶ କରିଥାଅ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;