23ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।
24ପୁଣି, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେବେ ଯତ୍ନପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର-ଦ୍ୱାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହି ଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର;
25ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ଓ ଅଧିପତିଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୂଶାଲମର ନିବାସୀମାନେ ଏହି ନଗର-ଦ୍ୱାର ଦେଇ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।
26ପୁଣି, ଲୋକମାନେ ଯିହୁଦାର ନଗରସମୂହରୁ, ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ୟାମୀନ୍ ଦେଶରୁ ଓ ନିମ୍ନ ଭୂମିରୁ ଓ ପାର୍ବତୀୟ ଦେଶରୁ ଓ ଦକ୍ଷିଣ ଦେଶରୁ ହୋମବଳି, ନୈବେଦ୍ୟ ଓ କୁନ୍ଦୁରୁ ନେଇ, ଆଉ ପ୍ରଶଂସାର୍ଥକ ବଳି ଘେନି ସଦାପ୍ରଭୁଙ୍କ ଗୃହକୁ ଆସିବେ।
27ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।’”