8ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍ ଶବ୍ଦ କରିବ।
9ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ।’
10ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ,
11‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବର ସ୍ଥାନର ଅଭାବ ନ ହେବା ଯାଏ ଲୋକମାନେ ତୋଫତ୍ରେ କବର ଦେବେ।
12ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା।