15ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପିଅଛି।”
16ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ।
17ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’ ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’”
18ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?
19ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ଡ କ୍ରୋଧ, ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।