20ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ; ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ।
21“ଆମ୍ଭେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ।
22ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାʼନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାʼନ୍ତେ ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାʼନ୍ତେ।
23ସଦାପ୍ରଭୁ କହନ୍ତି, ଆମ୍ଭେ କି ନିକଟରେ ପରମେଶ୍ୱର ଅଟୁ ଓ ଦୂରରେ ପରମେଶ୍ୱର ନୋହୁଁ?
24ସଦାପ୍ରଭୁ କହନ୍ତି, ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ? ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?