16ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।”
17ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ଲୋକମାନଙ୍କ ସମସ୍ତ ସମାଜକୁ ଏହି କଥା କହିଲେ,
18“ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’
19ଯିହୁଦାର ରାଜା ହିଜକୀୟ ଓ ଯିହୁଦାର ଲୋକ ସମସ୍ତେ କʼଣ ତାହାଙ୍କୁ କୌଣସିମତେ ବଧ କରିଥିଲେ? ହିଜକୀୟ କʼଣ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ ନାହିଁ? ତହିଁରେ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ କʼଣ କ୍ଷାନ୍ତ ନୋହିଲେ? ଆମ୍ଭେମାନେ ଆପଣା ଆପଣା ପ୍ରାଣର ପ୍ରତିକୂଳରେ ଭାରୀ ଅମଙ୍ଗଳ କରୁଅଛୁ।”
20ଆହୁରି, ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା, ସେ କିରୀୟଥ୍-ଯିୟାରୀମସ୍ଥ ଶମୟୀୟର ପୁତ୍ର ଊରୀୟ; ସେ ଯିରିମୀୟର ସମସ୍ତ ବାକ୍ୟ ପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଥିଲେ।