18ପୁଣି, ଆମ୍ଭେ ଯେ ଯେ ଗୋଷ୍ଠୀ ମଧ୍ୟକୁ ସେମାନଙ୍କୁ ତଡ଼ି ଦେଇଅଛୁ, ସେସମସ୍ତଙ୍କ ମଧ୍ୟରେ ସେମାନଙ୍କୁ ଅଭିଶାପର, ବିସ୍ମୟର, ଶୀସ୍ ଶବ୍ଦର ଓ ନିନ୍ଦାର ପାତ୍ର ହେବା ନିମନ୍ତେ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା ଓ ପୃଥିବୀର ସମସ୍ତ ରାଜ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷେପ କରିବା;
19କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।
20ଏହେତୁ ଆମ୍ଭ ଦ୍ୱାରା ଯିରୂଶାଲମରୁ ବାବିଲକୁ ପ୍ରେରିତ ନିର୍ବାସିତ ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
21‘କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ;
22ପୁଣି, ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ବ୍ୟକ୍ତିର ଉପଲକ୍ଷ୍ୟରେ ଏହି ଅଭିଶାପର କଥା ପ୍ରଚଳିତ ହେବ, ଯଥା, ବାବିଲର ରାଜା ସିଦିକୀୟ ଓ ଆହାବଙ୍କୁ ଯେପରି ଅଗ୍ନିରେ ଦଗ୍ଧ କରିଥିଲେ, ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କୁ କରନ୍ତୁ।