6ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ।
7ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।
8ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହି ସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ।
9କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।
10ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।