8ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
9ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।
10ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ, ‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ।’
11କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି।
12ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ।