6କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ‘ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛାମୁକୁ ଯାଉ, ଏପରି ଦିନ ଆସିବ।’”
7କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ୱନି କର; ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର।’
8ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
9ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।
10ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ, ‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ।’