34ପୁଣି, ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକୁ ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
35ଦିବସରେ ଜ୍ୟୋତିଃ ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି, ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜ୍ଜନ କରାନ୍ତି, ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି:
36“ଯଦି ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ, ତେବେ ଇସ୍ରାଏଲ ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ,” ଏହା ସଦାପ୍ରଭୁ କହନ୍ତି।
37ସଦାପ୍ରଭୁ ଏହି କଥା କହନ୍ତି: “ଯଦି ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ ପରିମିତ ହୋଇପାରେ ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇପାରେ, ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ ବଂଶର କୃତ ସକଳ କ୍ରିୟା ସକାଶୁ ସେମାନଙ୍କୁ ଦୂର କରିଦେବା,” ଏହା ସଦାପ୍ରଭୁ କହନ୍ତି।
38ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି।