15କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହି ଦେଶରେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରାଯିବ।’
16ନେରୀୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ଉତ୍ତାରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।
17ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ;
18ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମର ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କ୍ରୋଡ଼ରେ ଦେଉଅଛ; ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ;
19ତୁମ୍ଭେ ମନ୍ତ୍ରଣାରେ ମହାନ ଓ କ୍ରିୟାରେ ପରାକ୍ରାନ୍ତ; ପ୍ରତ୍ୟେକ ଲୋକକୁ ତାହାର ଗତି ଓ କ୍ରିୟାନୁସାରେ ସମୁଚିତ ଫଳ ଦେବା ନିମନ୍ତେ ମନୁଷ୍ୟ-ସନ୍ତାନଗଣର ସକଳ ପଥ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଥାଏ।