8ପୁଣି, କଲ୍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ।’
9ସଦାପ୍ରଭୁ ଏହି କଥା କହନ୍ତି; କଲ୍ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭେମାନେ ଏହି କଥା କହି ଆପଣାମାନଙ୍କୁ ଭୁଲାଅ ନାହିଁ; କାରଣ ସେମାନେ ଯିବେ ନାହିଁ।
10ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”
11କଲ୍ଦୀୟମାନଙ୍କର ସୈନ୍ୟ ଯେଉଁ ସମୟରେ ଫାରୋର ସୈନ୍ୟ ଭୟରେ ଯିରୂଶାଲମରୁ ଚାଲି ଯାଇଥିଲେ, ସେସମୟରେ ଏପରି ଘଟିଥିଲା ଯେ,
12ଯିରିମୀୟ ଆପଣା ଲୋକମାନଙ୍କ ମଧ୍ୟରେ ଆପଣାର ପ୍ରାପ୍ୟ ଅଂଶ ପାଇବା ନିମନ୍ତେ ବିନ୍ୟାମୀନ୍ ପ୍ରଦେଶକୁ ଯିବା ପାଇଁ ଯିରୂଶାଲମରୁ ବାହାରିଲେ।