22ତହିଁରେ ତୁମ୍ଭମାନଙ୍କର ଦୁଷ୍କ୍ରିୟା ସକାଶୁ ଓ ତୁମ୍ଭମାନଙ୍କର କୃତ ଘୃଣାଯୋଗ୍ୟ କର୍ମ ସକାଶୁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ; ଏହେତୁ ତୁମ୍ଭମାନଙ୍କର ଦେଶ ଆଜିର ସଦୃଶ୍ୟ ଉତ୍ସନ୍ନ ଓ ବିସ୍ମୟଜନକ, ଅଭିଶପ୍ତ ଓ ନିବାସୀବିହୀନ ହୋଇଅଛି।
23ତୁମ୍ଭେମାନେ ଧୂପ ଜ୍ୱଳାଇଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ରବରେ ମନୋଯୋଗ କରି ନାହଁ, ପୁଣି ତାହାଙ୍କର ବ୍ୟବସ୍ଥା ବିଧି ଓ ପ୍ରମାଣ-ବାକ୍ୟାନୁସାରେ ଆଚରଣ କରି ନାହଁ; ଏଥିପାଇଁ ଆଜିର ସଦୃଶ୍ୟ ଏହି ଅମଙ୍ଗଳ ତୁମ୍ଭମାନଙ୍କ ପ୍ରତି ଘଟିଅଛି।”
24ଆହୁରି, ଯିରିମୀୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିସର ଦେଶରେ ଥିବା ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ:
25ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଓ ପେୟ-ନୈବେଦ୍ୟ ଢାଳିବା ପାଇଁ ଯେଉଁ ମାନତ କରିଅଛୁ, ତାହା ଅବଶ୍ୟ ସିଦ୍ଧ କରିବୁ, ଏହି କଥା ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସ୍ତ୍ରୀମାନେ ମୁଖରେ କହି ହସ୍ତ ଦ୍ୱାରା ତାହା ସମ୍ପନ୍ନ କରିଅଛ। ତେବେ ତୁମ୍ଭମାନଙ୍କର ମାନତ ଦୃଢ଼ କର ଓ ତୁମ୍ଭମାନଙ୍କର ମାନତ ସିଦ୍ଧ କର।
26ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, ‘ପ୍ରଭୁ ସଦାପ୍ରଭୁ ଜୀବିତ’ ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ।