21“ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ?
22ତହିଁରେ ତୁମ୍ଭମାନଙ୍କର ଦୁଷ୍କ୍ରିୟା ସକାଶୁ ଓ ତୁମ୍ଭମାନଙ୍କର କୃତ ଘୃଣାଯୋଗ୍ୟ କର୍ମ ସକାଶୁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ; ଏହେତୁ ତୁମ୍ଭମାନଙ୍କର ଦେଶ ଆଜିର ସଦୃଶ୍ୟ ଉତ୍ସନ୍ନ ଓ ବିସ୍ମୟଜନକ, ଅଭିଶପ୍ତ ଓ ନିବାସୀବିହୀନ ହୋଇଅଛି।
23ତୁମ୍ଭେମାନେ ଧୂପ ଜ୍ୱଳାଇଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ରବରେ ମନୋଯୋଗ କରି ନାହଁ, ପୁଣି ତାହାଙ୍କର ବ୍ୟବସ୍ଥା ବିଧି ଓ ପ୍ରମାଣ-ବାକ୍ୟାନୁସାରେ ଆଚରଣ କରି ନାହଁ; ଏଥିପାଇଁ ଆଜିର ସଦୃଶ୍ୟ ଏହି ଅମଙ୍ଗଳ ତୁମ୍ଭମାନଙ୍କ ପ୍ରତି ଘଟିଅଛି।”
24ଆହୁରି, ଯିରିମୀୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିସର ଦେଶରେ ଥିବା ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ:
25ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଓ ପେୟ-ନୈବେଦ୍ୟ ଢାଳିବା ପାଇଁ ଯେଉଁ ମାନତ କରିଅଛୁ, ତାହା ଅବଶ୍ୟ ସିଦ୍ଧ କରିବୁ, ଏହି କଥା ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସ୍ତ୍ରୀମାନେ ମୁଖରେ କହି ହସ୍ତ ଦ୍ୱାରା ତାହା ସମ୍ପନ୍ନ କରିଅଛ। ତେବେ ତୁମ୍ଭମାନଙ୍କର ମାନତ ଦୃଢ଼ କର ଓ ତୁମ୍ଭମାନଙ୍କର ମାନତ ସିଦ୍ଧ କର।