5ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା ଆପଣା ଆପଣା ଦୁଷ୍ଟତାରୁ ଫେରିବା ପାଇଁ, ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଆଉ ଧୂପ ନ ଜ୍ୱଳାଇବା ପାଇଁ କର୍ଣ୍ଣପାତ କଲେ ନାହିଁ।
6ଏହେତୁ ଆମ୍ଭର ପ୍ରଚଣ୍ଡ କୋପ ଓ କ୍ରୋଧ ଢଳାଗଲା ଓ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତାହା ପ୍ରଜ୍ୱଳିତ ହେଲା, ପୁଣି ଆଜିର ସଦୃଶ୍ୟ ସେସବୁ ଉତ୍ସନ୍ନ ଓ ଧ୍ୱଂସିତ ହୋଇଅଛି।
7ଏନିମନ୍ତେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏବେ ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣ ବିରୁଦ୍ଧରେ ଏହି ମହାପାପ କରୁଅଛ? ଏହା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ସମ୍ପର୍କୀୟ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦାର ମଧ୍ୟରୁ ଉଚ୍ଛିନ୍ନ କରିବ, ଆପଣାମାନଙ୍କର କାହାକୁ ହିଁ ଅବଶିଷ୍ଟ ରଖିବ ନାହିଁ;
8ତୁମ୍ଭେମାନେ ଏହି ଯେ ମିସର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏହି ସ୍ଥାନରେ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ କାହିଁକି ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ଉଚ୍ଛିନ୍ନ ହେବ ଓ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ଅଭିଶାପ ଓ ନିନ୍ଦାର ପାତ୍ର ହେବ।
9ଯିହୁଦା ଦେଶରେ ଓ ଯିରୂଶାଲମର ସମସ୍ତ ପଥରେ କୃତ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କର ଦୁଷ୍କ୍ରିୟା ଓ ଯିହୁଦା-ରାଜାଗଣର ଦୁଷ୍କ୍ରିୟା ଓ ସେମାନଙ୍କ ଭାର୍ଯ୍ୟାଗଣର ଦୁଷ୍କ୍ରିୟା, ଆଉ ତୁମ୍ଭମାନଙ୍କର ନିଜର ଦୁଷ୍କ୍ରିୟା ଓ ତୁମ୍ଭମାନଙ୍କର ଭାର୍ଯ୍ୟାଗଣର ଦୁଷ୍କ୍ରିୟା କି ତୁମ୍ଭେମାନେ ପାସୋରିଅଛ?