3“ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ।
4ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ।
5ଆମ୍ଭେ ସେମାନଙ୍କୁ ଉଦ୍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ? ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତି ଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି; ଚତୁର୍ଦ୍ଦିଗରେ ଆଶଙ୍କା ଅଛି, ଏହା ସଦାପ୍ରଭୁ କହନ୍ତି।
6ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ; ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି।
7ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ସେ କିଏ?