10ମାତ୍ର ଆମ୍ଭେ ଏଷୌକୁ ଶୂନ୍ୟ କରିଅଛୁ, ତାହାର ଗୁପ୍ତ ସ୍ଥାନସବୁ ଅନାବୃତ କରିଅଛୁ ଓ ସେ ଆପଣାକୁ ଲୁଚାଇ ପାରିବ ନାହିଁ; ତାହାର ବଂଶ, ତାହାର ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ବିନଷ୍ଟ ହୋଇଅଛନ୍ତି ଓ ସେ ନାହିଁ।
11ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ୱାସ କରନ୍ତୁ।
12କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ସମ୍ପର୍କ ନାହିଁ, ସେମାନେ ନିତାନ୍ତ ତହିଁରେ ପାନ କରିବେ, ତେବେ ତୁମ୍ଭେ କି ସର୍ବତୋଭାବେ ଅଦଣ୍ଡିତ ହେବ? ତୁମ୍ଭେ ଅଦଣ୍ଡିତ ହେବ ନାହିଁ, ମାତ୍ର ନିଶ୍ଚୟ ପାନ କରିବ।
13କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମରେ ଶପଥ କରିଅଛୁ ଯେ, ବସ୍ରା ବିସ୍ମୟର, ନିନ୍ଦାର, ଉତ୍ସନ୍ନତାର ଓ ଅଭିଶାପର ପାତ୍ର ହେବ ଓ ତହିଁର ନଗରସବୁ ଚିରକାଳ ଉତ୍ସନ୍ନ ସ୍ଥାନ ହେବ।”
14ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି, ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି, ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ।