1ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
2“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।
3କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।
4ସଦାପ୍ରଭୁ କହନ୍ତି, ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’