1ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
2“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।
3କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।